ତାଳଚେର : ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ କଲେଜ୍ ଛାତ୍ରଛାତ୍ରୀ । ଅଭିଭାବକଙ୍କୁ ଫୋନ୍ କରି କଲେଜ୍ ଅଧ୍ୟକ୍ଷଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା । ରିଆଡ଼ମିଶନ , ଫର୍ମଫିଲପ୍ ଆଦି ବାହାନା କରି ମାଗୁଛନ୍ତି ଟଙ୍କା । ସାଇବର ଠକାମୀର ଶିକାର ହେଉଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ତାଳଚେରରେ କଲେଜରୁ ଆସିଛି ଅଭିଯୋଗ । ପୂର୍ବରୁ ବିଭିନ୍ନ ଆଳ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ନେଉଥିବା ବେଳେ ଏବେ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ ।
ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ସାଇବର ଲୁଟର ଶିକାର ହୋଇଛନ୍ତି । ଦୁଇ ଜଣ ଛାତ୍ରଙ୍କ ପରିବାର ଠାରୁ ଆଠ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା । ସୂଚନା ଅନୁସାରେ ପାଖାପାଖି କୋଡିଏରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ତାଳଚେର ହାଇଅର ସେକେଣ୍ଡାରୀ ସ୍କୁଲ ନାମ ଥିବା ଏକ ନମ୍ବର ଯୋଗେ ପରିବାରଙ୍କୁ ଫୋନ କରାଯାଇଥିଲା ।
କଲେଜ ଅଧ୍ୟକ୍ଷଙ୍କ ନାମ ନେଇ ବିଭିନ୍ନ ଆଳରେ ପରିବାରରକୁ ପଇସା ମଗାଯାଇଥିଲା । ତେବେ ସେମାନେ ତାଙ୍କୁ ବିଶ୍ୱାସ କରି ଫୋନ ପେ ମାଧ୍ୟମରେ ପଇସା ପଠାଇଦେଇଥିବା ସୂଚନା ମିଳିଛି । ତେବେ କଲେଜ ପକ୍ଷରୁ କିମ୍ବା ଅଧ୍ୟକ୍ଷଙ୍କ ଠାରୁ କୌଣସି ଫୋନ ଯାଇଥିବା ନଥିବା ବେଳେ ଏହା ସାଇବର ଲୁଟେରାଙ୍କ ଦ୍ୱାରା କରାଯାଇଥିବା ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ । ଏପରି ଫୋନ କଲରୁ ନିବୃତ ରହିବାକୁ କଲେଜ ଅଧ୍ୟକ୍ଷ ନିବେଦନ କରିଛନ୍ତି । ତେବେ ଏନେଇ ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷରୁ ତାଳଚେର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି ।
