ରବିବାର ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ସରକାରୀ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଆଠ ଜଣ ମହିଳାଙ୍କ ସମେତ ଏଗାର ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ମୃତଦେହଗୁଡ଼ିକ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ଆହତ ଯାତ୍ରୀମାନେ କ୍ଷତିଗ୍ରସ୍ତ ବସ୍ର ଝରକା ଏବଂ ସମ୍ମୁଖ କାଚରୁ ବିକଳରେ ଡେଇଁ ବାହାରକୁ ବାହାରୁଥିବାର ଦେଖାଯାଇଥିଲା । ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା କରାଇକୁଡିଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଘଟିଥିଲା। ଘଟଣାସ୍ଥଳରେ ଏଗାର ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା, ଦୁଇ ଜଣ ପୁରୁଷ ଏବଂ ଗୋଟିଏ ଶିଶୁ ଅଛନ୍ତି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହା ଏକ ମୁହାଁମୁହିଁ ଧକ୍କା ଥିଲା, ଏବଂ କାରଣ ଅସ୍ପଷ୍ଟ ଏବଂ ସେମାନେ ତଦନ୍ତ କରୁଛନ୍ତି।
