ଭୁବନେଶ୍ବର/ଭଦ୍ରକ/ଆଗରପଡ଼ା: ବିଜେପି ହେଉଛି ସମୁଦ୍ର। ଏହି ସମୁଦ୍ରରେ ନଦୀ ମିଶିବେ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନେକ ଲୋକ ବିଜେପିରେ ମିଶିବେ। ଆଜି ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ଆହୁରି କହିଛନ୍ତି ଯେ ବିଜେଡି ଛାଡ଼ିବା ପୂର୍ବରୁ ମୋ ସହ ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍ ଅଧ୍ୟକ୍ଷ ଆଲୋଚନା କରିଥିଲେ।ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଇସ୍ତଫା ଦେଇଥିଲେ। ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ର ଅଧ୍ୟକ୍ଷା ବିଜେଡି ଛାଡ଼ିଲେ। ଏହି ସଂଖ୍ୟା ଆଗାମୀ ଦିନରେ ବଢ଼ିବ ବୋଲି ଅନୁମାନ କରାଯାଉଛି। ଫଳରେ ବିଜେଡି ପାଇଁ ଏହା ଏକ ଶକ୍ତ ଝଟକା ହୋଇଛି। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ପତିଆରା ଏବେ କାଠଗଡ଼ାକୁ ଠେଲି ହୋଇଯାଇଛି।
ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କୁ ଆଜି ନିଲମ୍ୱିତ କରିଛି ବିଜେଡି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। କିଛିଦିନ ହେଲା ବିଜେଡି ଛାଡି ବିଜେପିରେ ମିଶିବା ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ସମେତ ଭଣ୍ଡାରିପୋଖରୀ, ବାସୁଦେବପୁର, ଭଦ୍ରକ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ହୋଇଆସୁଥିଲା। ସେମାନେ ବିଜେପିରେ ମିଶିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି। ସମ୍ଭବତଃ ଆସନ୍ତା ଡିସେମ୍ବର ୭ ତାରିଖରେ ଏହି ମିଶ୍ରଣ ପର୍ବ ଆୟୋଜନ ହେବ। ତେଣୁ ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦୁର୍ନୀତି ଅଭିଯୋଗ ଆଣିଥିବା ରାଜନୀତି ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି।
