ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଶାସନିକ ବ୍ୟୟ ବାବଦରେ ୩,୩୮୯ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୩,୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥିରେ ରାଜ୍ୟ ଯୋଜନାଗୁଡ଼ିକ ପାଇଁ ୧୧,୬୪୩ କୋଟି ଟଙ୍କା, କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ୨୦୫୪ କୋଟି ଟଙ୍କା, କେନ୍ଦ୍ରୀୟ ଯୋଜନା ପାଇଁ ୧୯ କୋଟି ଟଙ୍କା, ସାମାଜିକ ସେବା ପାଇଁ ୫୯୪୮ କୋଟି ଟଙ୍କା ଓ ଅର୍ଥନୈତିକ ସେବା ପାଇଁ ୯୧୮୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଅତିରିକ୍ତ ବଜେଟରେ ନୂଆ ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କରାଯାଇଛି। ସେଥିପାଇଁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଅତିରିକ୍ତ ବଜେଟରେ ରାଜ୍ୟ ସରକାର କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟସେବା, ମହିଳା ଓ ଶିଶୁ ସଶକ୍ତୀକରଣ, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ, ସହରାଞ୍ଚଳ ବିକାଶ, ଶିଳ୍ପ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତି ଓ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଅତିରିକ୍ତ ବଜେଟ ପାଇଁ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ବୟ ଓ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ଜାତୀୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ରାଶି ଦ୍ବାରା ମଧ୍ୟ ଭରଣା କରାଯିବ। ଅତିରିକ୍ତ ବଜେଟରେ ୧୭,୪୪୦ କୋଟି ଟଙ୍କାରୁ ୧୨୩୨ କୋଟି ଟଙ୍କା ସହବନ୍ଧିତ ସମ୍ବଳ ମାଧ୍ୟମରେ ଓ ଅବଶିଷ୍ଟ ରାଶି ବର୍ଷ ଶେଷରେ ପାଣ୍ଠି ସମର୍ପଣ ମାଧ୍ୟମରେ ପୂରଣ କରାଯିବ ବୋଲି ସେ କହିଛନ୍ତି।
