ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୧୫ ବର୍ଷ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ-୨୦୨୫ର ପ୍ରଥମ ଦିନରେ ବିଧାୟକ, ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ତତ୍କାଳୀନ ରାଇରଂଗପୁର ବିଧାୟକ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଭାଷଣ ନିଜ ସାମ୍ନାରୁ ଶୁଣିବାକୁ ପାଇପାରିଛନ୍ତି। ଶ୍ରୀମତୀ ମୁର୍ମୁ ବିଧାୟକମାନଙ୍କୁ ଗୁରୁତ୍ବପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ସେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ବିଶେଷଜ୍ଞତା ଆଇନ ପ୍ରଣେତାଙ୍କ ସହ ବାଣ୍ଟିଛନ୍ତି। ତାଙ୍କ ଅଭିଭାଷଣ ବିଧାନସଭାରେ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱର ଗୁରୁତ୍ୱକୁ କେନ୍ଦ୍ରିତ କରୁଛି। ମହାମହିମଙ୍କର ଏହି ସମ୍ବୋଧନ ଓଡ଼ିଶା ବିଧାନସଭା ପାଇଁ ଇତିହାସରେ ଲିପିବଦ୍ଧ ହୋଇଛି। ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଦେଶର ଅନ୍ୟ ୯ଟି ବିଧାନସଭାରେ ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଥିବାର ଅଭିଜ୍ଞତା ରଖିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ଣରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରୁ ସେ ସ୍ବତନ୍ତ୍ର କାର୍କେଡ୍ ମାଧ୍ୟମରେ ରାଜଭବନକୁ ଯାଇଥିଲେ। ରାଜଭବନରେ ସାମୟିକ ବିଶ୍ରାମ ପରେ ଓଡ଼ିଶା ବିଧାନସଭାରେ ପହଞ୍ଚି ଥିଲେ। ବିଧାନସଭାରେ ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ଓ ସାଂସଦମାନେ ସ୍ବାଗତ ଜଣାଇଥିଲେ। ତାଙ୍କ ଅଭିଭାଷଣ ପୂର୍ବରୁ ବିଧାୟକମାନଙ୍କ ସହିତ ଏକ ଫଟୋ ସେସନ୍ ହୋଇଥିଲା। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।
