ହରଭଙ୍ଗା: ଘଞ୍ଚ ଜଙ୍ଗଲର ଭ୍ରମ । ତାହା ପୁଣି ଚିରସ୍ରୋତା ମହାନଦୀ କୁଳରେ । ଜଙ୍ଗଲର ଶାନ୍ତ ପରିବେଶ, ମହାନଦୀର କୁଳୁକୁଳୁ ଗୀତ, ତା ସହିତ ନିଜ ସାଙ୍ଗସାଥି, ପରିବାର ପ୍ରିୟଜନଙ୍କ ମେଳରେ ବଣ ଭୋଜିର ମଜା ଆଉ ପ୍ରକୃତି ସହିତ ମିଶିବାର ଆନନ୍ଦ ବେଶ ନିଆରା । ପିକନିମ୍ ଋତୁ ଆରମ୍ଭରୁ ହିଁ ଚଳଚଞ୍ଚଳ ହୋଇ ପଡିଥିବା ରାମଗଡର ଜଗନ୍ନାଥ ବନ ପ୍ରକଳ୍ପ ସାଜିଛି ଏବେ ପିକିନିକ୍ ର ହଟସ୍ପଟ ।
ଭୂଇଁ ଠାରୁ ଆକାଶକୁ ଚାହିଁ ରହିଛି ବଡ ବଡ ଗଛ ଲତା । ଲାଗୁଛି ନିଜ ନିଜ ଭିତରେ ଚାଲିଛି ପ୍ରତିଯୋଗିତା, କିଏ କେତେ ଶିଖରକୁ ଯାଉଛି । ଘଞ୍ଚ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିବା ଏହି ଜଙ୍ଗଲକୁ ଦେଖିଲେ ନିହାତି ଆପଣଙ୍କ ମନରେ କେତେ କଣ ଭାବନା ଆସିବ । ଏଠାରେ ଲାଗିଥିବା ବିଭିନ୍ନ ପ୍ରଜାତିର ଗଛ ଲାଗିହେବ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ । ସେଥିପାଇଁ ପ୍ରାୟ ୨ ରୁ ୩ ଶହ ହେକ୍ଟର ଏରିଆରେ ଲାଗିଥିବା ଗଛ ଏବେ କେବଳ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି, ତା ନୁହେଁ ପିକନିକ୍ ର ହଟସ୍ପଟ ସାଜିଛି ବୌଦ୍ଧ ଜିଲା ରାମଗଡର ଜଗନ୍ନାଥ ବନପ୍ରକଳ୍ପ । ମହାନଦୀ କୁଳରେ ଥିବା ଜଗନ୍ନାଥ ବନପ୍ରକଳ୍ପରେ ବଣ ଭୋଜିର ଆସର ଜମେ । ମହାନଦୀର ଗଭୀର ଜଳରାଶିରେ ସ୍ନାନ, ଜଙ୍ଗଲର ଶାନ୍ତ ପରିବେଶ ସାଙ୍ଗକୁ ନଦୀର କୁଳୁକୁଳ ଗୀତ ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ମନ ମୋହିଥାଏ ।
ଶୀତ ଋତୁ ଆସିଲେ ଚଳଚଞ୍ଚଳ ହୋଇପଡେ ଏହି ମନୋରମ ସ୍ଥାନ । ନଭେମ୍ବର ମାସରୁ ଫେବୃୟାରୀ ମାସ ଯାଏଁ ପ୍ରତିଦିନ ବଣ ଭୋଜି କରିବା ପାଇଁ ପର୍ଯ୍ୟଟଙ୍କ ଭିଡ ଜମେ । କିଏ ନିଜ ସାଙ୍ଗସାଥି ମେଳରେ ଆସିଥାଏ ତ ଆଉ କିଏ ନିଜ ପରିବାର ପ୍ରିୟଜନଙ୍କ ସହିତ ବଣ ଭୋଜି କରିବାକୁ ଆସିଥାଏ । ନିଜ କର୍ମମୟ ଜୀବନରୁ କିଛି ସମୟ କାଢି ଏଠାକୁ ବହୁ ଅଞ୍ଚଳରୁ ଲୋକେ ବଣଭୋଜି ପାଇଁ ଆସିଥାନ୍ତି । ଏଠାକାର ଶାନ୍ତ ପରିବେଶ, ମହାନଦୀର ଗଭୀର ଜଳରାଶୀ, ବାଲୁକା ମରୁଭୂମି ଭଳି ପ୍ରକୃତିର ମନଲୋଭା ଦୃଶ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ । ହେଲେ ଦିନକୁ ଦିନ ଏହି ମନଲୋଭା ସ୍ଥାନଟି ଦୂଷିତ ହେବାକୁ ଲାଗିଲାଣି । ଏଠାରେ ଭୋଜି କରିବା ପାଇଁ ନାହିଁ ଆବଶ୍ୟକୀୟ ପିଣ୍ଡି କି ପାନୀୟ ଜଳ ବ୍ୟବସ୍ଥା । ଅନ୍ୟପଟେ ଅଳିଆ ଆବର୍ଜନା ଫିଙ୍ଗିବା ପାଇଁ ରହିଛି ମାତ୍ର ଗୋଟିଏ ଡଷ୍ଟବିନ । ଡଷ୍ଟବିନ ଥିବାରୁ ବହୁ ସମୟରେ ଲୋକେ ବାହାରେ ଅଳିଆ ଆବର୍ଜନା ପକାଉଛନ୍ତି । ଯାହାଫଳରେ ପରିବେଶ ଦୂଷିତ ହେବା ସହିତ ମହାନଦୀର ଜଳରାଶି ମଧ୍ୟ ଦୂଷିତ ହେବାରେ ଲାଗୁଛି । ଘଟଣା ସମ୍ପର୍କରେ ପୁରୁଣାକଟକ ରେଞ୍ଜ ଅଧିକାରୀ କହିଛନ୍ତି ଖୁବଶୀଘ୍ର ସାମାନ୍ୟତମ ବ୍ୟବସ୍ଥା କରାଯିବ । ଏହି ସ୍ଥାନର ଯଦି ବିକାଶ କରାଯିବ ତାହା ହେଲେ ଆଗାମୀ ଦିନରେ ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇ ପାରିବ ଓ ପର୍ଯ୍ୟଟଙ୍କ ସୁଅ ଛୁଟିବ ।
Also Read: ନିଆରା ଢଙ୍ଗରେ ବଣ ଭୋଜି ମଜା ନେଉଛନ୍ତି ପର୍ଯ୍ୟଟକ, ପରିବାର ଓ ସାଙ୍ଗସାଥିଙ୍କ ମେଳରେ କରୁଛନ୍ତି ଉପଭୋଗ
