ଆକ୍ରମଣ ଭୟରେ ଭାରତ ଗସ୍ତ ବାତିଲ୍ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ନେତାନ୍ୟାହୁ ତାଙ୍କର ଆଗାମୀ ଭାରତ ଗସ୍ତକୁ ପୁଣି ଥରେ ବାତିଲ୍ କରିଛନ୍ତି। ସେ ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପାଇଁ ଭାରତ ଆସିବେ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଆସନ୍ତା ବର୍ଷ ସେ ଆସିବାକୁ ଯୋଜନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ନୂଆଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବିଷୟରେ ଚିନ୍ତା କରି ଡିସେମ୍ବର ୨୦୨୫ ପାଇଁ ଯୋଜନା କରାଯାଇଥିବା ଭାରତ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀର ଲାଲ୍ କିଲ୍ଲାରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ଏବଂ ଏକାଧିକ ଲୋକ ଆହତ ହୋଇଥିଲେ। ୧୦ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବିସ୍ଫୋରଣ ଥିଲା।
