ଭୁବନେଶ୍ବର: ସରକାର କୌଣସିପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେନି କି ଦୁର୍ନୀତି ପାଇଁ ସରକାରଙ୍କୁ ବଦନାମ ହେବାକୁ ଦିଆଯିବନି। ତୁମ ଅଞ୍ଚଳରେ ଯଦି ବାଲି, ଲଘୁ ଖଣିଜ ଚୋରାଚାଲାଣ ହେଉଛି ତେବେ ଏହାକୁ ତୁରନ୍ତ ବନ୍ଦ କର। ଏଥିପାଇଁ ଡ୍ରୋନ୍ ଟେକ୍ନୋଲୋଜିଠାରୁ ଆରମ୍ଭ କରି ଯାହା ଦରକାର ବ୍ୟବହାର କର। କୌଣସି ପ୍ରକାରର ରାଜନୈତିକ ଚାପର ଶିକାର ହୁଅନି। ଚୋରା ମଦ ବନ୍ଦ କର। ଚଢ଼ଉ, ଯାଞ୍ଚ ଜୋରଦାର କର। ଯଦି ଚୋରା ମଦ କାରବାର ବନ୍ଦ କରିନପାରିଲ ତେବେ ଏଥିପାଇଁ ଜିଲ୍ଲାପାଳମାନେ ହିଁ ଦାୟୀ ରହିବେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନର ସହ ସୌଜନ୍ୟମୂଳକ ବ୍ୟବହାର କରନ୍ତୁ।
ଆଜିଠାରୁ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ଛଳରେ ଏମିତି ତାଗିଦ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯିଏ ଯେଉଁ ପଦବିରେ ଥାଉ ନା କାହିଁକି, ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ। ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏହା ହିଁ ହେଉଛି ସୁଶାସନର ମୂଳଦୁଆ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇ କହିଥିଲେ ଯେ ଆପଣମାନେ ଦୁର୍ନୀତିମୁକ୍ତ, କ୍ଷେତ୍ର ପରିଦର୍ଶନ, ଶାସନବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଅଭିଯୋଗ ଶୁଣାଣି, ଓଡ଼ିଆ ଅସ୍ମିତା, ସାମାଜିକ ଗଣମାଧ୍ୟମର ବ୍ୟବହାର, କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଉଚିତ ସମ୍ମାନ, ସରକାରୀ କାର୍ଯ୍ୟରେ ଆଉଟ୍ସୋର୍ସିଂ ବନ୍ଦ, ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ଉପରେ ଗୁରୁତ୍ବ ଦିଅନ୍ତୁ। ଏହାସହ ସର୍ବଦା ନିଜ କାର୍ଯ୍ୟରେ ସଚ୍ଚୋଟ ଓ ସାଧୁତା ଅବଲମ୍ବନ କରନ୍ତୁ। ଅାଶ୍ଚର୍ଯ୍ୟର ବିଷୟ ୟୁପିଏସ୍ସି ଓ ଓପିଏସ୍ସିରେ ଭଲ ମାର୍କ ରଖିଥିବା ସରକାରୀ କର୍ମଚାରୀମାନେ କମ୍ ବୟସରୁ ଦୁର୍ନୀତି କରୁଛନ୍ତି। ଏଥିରୁ ସେମାନେ ବିରତ ରହିବା ଦରକାର।
ବାଲି ଚୋରାଚାଲାଣରେ ରାଜନୈତିକ ଚାପ ଶୁଣନି
