ବିହାରରେ ସରକାର ଗଠନ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ। ସୂଚନାନୁଯାୟୀ, ନଭେମ୍ବର ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ପାଟନାର ଗାନ୍ଧୀ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଛି, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଛନ୍ତି।ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହେବ। ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯିବେ। ଏହା ନୂତନ ସରକାର ଗଠନ ଦିଗରେ ପ୍ରଥମ ପଦକ୍ଷେପ ହେବ। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି।
