ଭୁବନେଶ୍ବର/ପାଟଣା: ନୂଆପଡ଼ା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ- ୨୦୨୫ର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ କର୍ମଚାରୀମାନେ ନିଜନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସରିଛି। ଏଠାରେ ରାତି ପାହିଲେ ମତଦାନ ଆରମ୍ଭ ହେବ। ଅର୍ଥାତ ନଭେମ୍ବର ୧୧ ତାରିଖ ପୂର୍ବାହ୍ଣ ୭ଟାରୁ ମତଦାତାମାନେ ନିର୍ବାଚନ କମିସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବୁଥ୍ଗୁଡ଼ିକରେ ଭୋଟ୍ ଦେବେ। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ଅତିସମ୍ବେଦନଶୀଳ ବୁଥରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ।ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେଉଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି। ଏହି ୩ଟି ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ୍ରେ ବିଗତ ଦିନରେ ଜୋରଦାର ପ୍ରଚାର କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।
