ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗିବା କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। କ୍ରୀଡ଼ା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ, ଏହି ସ୍ଥାନରେ ଏକ କ୍ରୀଡ଼ା ସହର(ସ୍ପୋର୍ଟ୍ସ ସିଟି) ନିର୍ମାଣ କରାଯିବ। ମନ୍ତ୍ରଣାଳୟ ସ୍ପୋର୍ଟ୍ସ ସିଟି ପାଇଁ ଏକ ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଏହି ସ୍ପୋର୍ଟ୍ସ ସିଟି ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ନିର୍ମିତ ହେବ ଏବଂ ଏଥିରେ ପ୍ରମୁଖ କ୍ରୀଡ଼ା ପାଇଁ ସୁବିଧା ରହିବ।
ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିଛି। ସୂତ୍ର ଅନୁଯାୟୀ, କ୍ରୀଡ଼ା ମନ୍ତ୍ରଣାଳୟ ଏବେ ଏହାକୁ ଏକ ସ୍ପୋର୍ଟ୍ସ ସିଟିରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପକୁ ଚୂଡ଼ାନ୍ତ କରିବା ପାଇଁ, ମନ୍ତ୍ରଣାଳୟ କାତାର ଏବଂ ଅଷ୍ଟ୍ରେଲିଆର କ୍ରୀଡ଼ା ସହରଗୁଡ଼ିକର ସମୀକ୍ଷା କରୁଛି। ସେସବୁ ସ୍ପୋର୍ଟ୍ସ ସିଟିରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଛି, ଏବଂ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ଅଛି। ମନ୍ତ୍ରଣାଳୟର ଦଳ ଷ୍ଟାଡିୟମ୍ ସମୀକ୍ଷା କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଏନେଇ ପଦକ୍ଷେକ ଗ୍ରହଣ କରାଯିବ।କ୍ରୀଡା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ୧୦୨ ଏକର ଷ୍ଟାଡିୟମ ସ୍ଥାନକୁ ପୁନଃବିକଶିତ କରାଯିବ। ବର୍ତ୍ତମାନ, ଏହି ଯୋଜନାକୁ ଏକ ପ୍ରସ୍ତାବ ଭାବରେ ବିକଶିତ କରାଯାଉଛି। ପ୍ରକଳ୍ପ ପାଇଁ ସମୟସୀମା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଷ୍ଟାଡିୟମର ପ୍ରତ୍ୟେକ ଅଂଶକୁ ପ୍ରଥମେ ଭଙ୍ଗାଯିବ। ସେସବୁ ଅଞ୍ଚଳରେ ଷ୍ଟାଡିୟମ ମଧ୍ୟରେ ଥିବା ସମସ୍ତ କାର୍ଯ୍ୟାଳୟ, ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ଏବଂ ଜାତୀୟ ଡୋପ୍ ପରୀକ୍ଷଣ ପ୍ରୟୋଗଶାଳା ରହିଛି। ଉଭୟ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ।
