କୋଲକତା : ପୁଣି ମଝି ଆକାଶରେ ଟଳିଲା ବଡ଼ ବିପଦ । ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ମଝି ଆକାଶରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା । ଏନେଇ ବିମାନର ପାଇଲଟ୍ କୋଲକାତା ଏଟିସିକୁ ସୂଚନା ଦେଇଥିଲେ । ଏହାପରେ ବିମାନକୁ କୋଲକତାରେ ଜରୁରୀ ଅବତରଣ କରାଯାଇଥିଲା ।
ଖବର ମୁତାବକ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନଟି ବାହାରିଥିଲା । ସ୍ପାଇସ ଜେଟ ବିମାନ କୋଲକତାରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ଏହାର ଗୋଟିଏ ଇଞ୍ଜିନ୍ କାମ କରିନଥିଲା । ତେଣୁ ପାଇଲଟ୍ ଜରୁରୀକାଳୀନ ଲ୍ୟାଣ୍ଡିଂ ପାଇଁ କୋଲକତା ଏଟିସିକୁ ଅନୁମତି ମାଗିଥିଲେ । ତୁରନ୍ତ ତାଙ୍କୁ ଏନେଇ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ବିମାନଟି ଅବତରଣ କରିଥିଲା । ବିମାନକୁ ସୁରକ୍ଷିତ ଅବତରଣ କରାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ତେବେ ଅଘଟଣ ବିଷୟରେ ଜାଣିବା ପରେ କୋଲକାତା ବିମାନ ବନ୍ଦରରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଁଚି ଯାଇଥିଲେ ।
ସୂଚନାଯୋଗ୍ୟ, ୨୦୨୫ ଜୁନ ମାସରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନର ଇଂଜିନ ଫେଲ୍ ହେବାରୁ ବିମାନଟି ନିଆଁ ପିଣ୍ଡୁଳା ହୋଇଯାଇଥିଲା । ଫଳରେ ଶତାଧିକ ଯାତ୍ରୀ ଏବଂ କ୍ରୁ ମେମ୍ବର ପ୍ରାଣ ହରାଇଥିଲେ ।
