ବ୍ରହ୍ମପୁର : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା ଓ ଯୋଗେନ୍ଦ୍ର । ଏଥିପାଇଁ ପୋଲିସ ପକ୍ଷରୁ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡିଛି l ପୀତବାସ ହତ୍ୟା ମାମଲାରେ ଗିରଫଙ୍କ ମଧ୍ୟରୁ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇ ପ୍ରଥମ ପର୍ଯ୍ୟାୟ ଜେରା ସାରିଛି । ଏବେ ପୁଣିଥରେ ସେମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି l ଏନେଇ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ କ୍ୟାମେରା ସାମ୍ନାରେ ତଥ୍ୟ ରଖିନଥିଲେ ବି ପୁଣି ଥରେ ଦୁଇ ଜଣଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଥିଲେ ।
ପୂର୍ବରୁ ଏମାନଙ୍କୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଥିଲେ ବି ମାଜିଷ୍ଟ୍ରେଟ କେବଳ ଦୁଇ ଦିନ ରିମାଣ୍ଡ ପାଇଁ ମଞ୍ଜୁର କରିଥିଲେ l ସତ ଉଗାରିବା ପାଇଁ ପୋଲିସ ପୁଣି ଥରେ ଉମା ଓ ଯୋଗୀନ୍ଦ୍ରଙ୍କୁ ରିମାଣ୍ଡରେ ନେଇପାରେ । ହତ୍ୟା କାଣ୍ଡ ଘଟାଇବା ପାଇଁ ଏହି ଦୁଇଜଣ ହିଁ ହତ୍ୟାକାରୀ ଓ ସହଯୋଗୀ ସହ ଯୋଗାଯୋଗରେ ରହି ବନ୍ଧୁକ, ବାଇକ, ନୂଆ ଡ୍ରେସ, ଜୋତା ଆଦି ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁ ଙ୍କୁ ଦେଇଥିଲେ l କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ସୁଟର୍ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା କରିଥିଲା । ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲକୁ ପଠାଇ ଦିଆଯାଇଥିଲା ।
