କେତେବେଳେ କାହା ଭାଗ୍ୟ ଖୋଲିବ ତାହା ସେଇ ବିଧାତାଙ୍କୁ ହିଁ ଜଣା। ନିକଟରେ ଜଣେ ପରିବା ବିକ୍ରେତା ରାତାରାତି କୋଟିପତି ହୋଇଯାଇଥିବାର ଖବର ଚର୍ଚ୍ଚାରେ ରହିଛି।
ଚର୍ଚ୍ଚାର ପରିସରରେ ଥିବା ପରିବା ବିକ୍ରେତା କିଛିଦିନ ତଳେ ତାଙ୍କ ସାଙ୍ଗଠାରୁ ଟଙ୍କା ଋଣ ନେଇ ଏକ ଲଟେରି ଟିକେଟ କିଣିଥିଲେ। କାରଣ ଉକ୍ତ ପରିବା ବିକ୍ରେତାଙ୍କ ଲଟେରି ଟିକେଟ ପ୍ରତି ଖୁବ ଦୁର୍ବଳତା ରହିଛି। ପ୍ରତିବର୍ଷ ସେ ଲଟେରି ଟିକେଟ କିଣିଥାଆନ୍ତି।ଜୟପୁର କୋଟପୁଟଲିର ବାସିନ୍ଦା ଥିବା ଅମିତ ସେହରା ପେସାରେ ଜଣେ ପନିପରିବା ବିକ୍ରେତା। କିଛିଦିନ ତଳେ ଅମିତ ତାଙ୍କ ବନ୍ଧୁଙ୍କଠାରୁ ଟିକେଟ୍ କିଣିବା ପାଇଁ ୧୦୦୦ ଟଙ୍କା ଋଣ ନେଇଥିଲେ । ଚଳିତଥର ଏହି ଟିକେଟ ଯେ ତାଙ୍କ ଭାଗ୍ୟ ବଦଳାଇ ଦେବ ସେ ଧାରଣା ଅମିତଙ୍କ ନଥିଲା।ଅମିତ ଲଟେରି ଜିତିବା ଖୁସିକୁ ବଖାଣି କହିଛନ୍ତି, ‘ମୋ ପାଖରେ ଲଟେରି କିଣିବା ପାଇଁ ଟଙ୍କା ନଥିଲା, କିନ୍ତୁ ଲଟେରି ଟିକେଟ ପ୍ରତି ମୋର ଖୁବ ଦୁର୍ବଳତା ରହିଛି। ତେଣୁ ମୁଁ ମୋର ଜଣେ ବନ୍ଧୁଙ୍କୁ ୧୦୦୦ଟଙ୍କା ସାହାଯ୍ୟ ମାଗିଥିଲି। ଏହି ୧୦୦୦ଟଙ୍କାରେ ମୁଁ ଲଟେରି ଟିକେଟ କିଣିଥିଲି। ହଠାତ ମୋ ପାଖକୁ ଫୋନ ଆସିଲା କି ମୁଁ ଲଟେରି ଜିତିଯାଇଛି। ୧୧କୋଟି ଟଙ୍କାର ପୁରସ୍କାର ପାଇଁ ମୋତେ ନିମନ୍ତ୍ରଣ କରାଯାଇଛି। ଖୁସିରେ ମୋ ପାଦ ଆଉ ତଳେ ଲାଗି ନଥିଲା। ଭଗବାନ ଓ ମୋ ବନ୍ଧୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବନ୍ଧୁ ଜଣକ ମୋ କଥା ରଖି ୧୦୦୦ଟଙ୍କା ସାହାଯ୍ୟ କରିଥିଲେ। ତାଙ୍କରି ସାହାଯ୍ୟ ପାଇଁ ମୁଁ ରାଜି କୋଟିପତି ହୋଇ ପାରିଛି। ତେଣୁ ତାଙ୍କୁ ୧୦୦୦ଟଙ୍କା ଫେରାଇବା ବଦଳରେ ୧କୋଟି ଟଙ୍କା ଫେରାଇବାକୁ ସ୍ଥିର କରିଛି।
