ପାଟନା: ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ଏବଂ ବିଜୟ କୁମାର ସିହ୍ନାଙ୍କ ପରି ହେଭିୱେଟ୍ ନେତାଙ୍କ ଭାଗ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣୟ ହେବ। ଏମଧ୍ୟରେ ବିହାରର ଅରରିଆର ଫାରବିସଗଞ୍ଜରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଫଳାଫଳ ଆସିଲେ କଂଗ୍ରେସ-RJD ପରସ୍ପରର ଚୁଟି ଟାଣିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ କହିବା ମୁତାବକ, “ଆଜି ମୁଁ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ଆପଣଙ୍କ ପୁଅ ଭାବରେ ଆସିଛି। ଆପଣଙ୍କ ସ୍ୱପ୍ନ ପୂରଣ କରିବା ମୋର ଲକ୍ଷ୍ୟ। ବିହାରର ବିକାଶ ଏବଂ ସୁରକ୍ଷା ପାଇଁ NDA ସରକାର ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅଭୂତପୂର୍ବ ଏବଂ ରାଜ୍ୟକୁ ଏକ ନୂତନ ଦିଗଦର୍ଶନ ଦେଉଛି। ଶିକ୍ଷାଠାରୁ ସ୍ୱାସ୍ଥ୍ୟ ଏବଂ ଆଧୁନିକ ଭିତ୍ତିଭୂମି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନିଆଯାଇଛି। କିଛି ଦିନ ପୂର୍ବରୁ ମୁଁ କଂଗ୍ରେସ-RJD ବିବାଦର ପର୍ଦ୍ଦାଫାସ କରିଥିଲି। ବିବାଦ ଆହୁରି ବଢ଼ିଛି। କଂଗ୍ରେସ, RJD ବିରୋଧରେ ତାଙ୍କର ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଠିଆ କରିଛି। ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଉଛନ୍ତି ଏବଂ RJDର ଜଙ୍ଗଲ ରାଜର ପର୍ଦ୍ଦାଫାସ କରୁଛନ୍ତି। ସେ କହୁଛନ୍ତି ଯେ ଦଳିତ, ମହାଦଳିତ ଏବଂ ଅତ୍ୟନ୍ତ ପଛୁଆ ବର୍ଗ ଏହି ଜଙ୍ଗଲ ରାଜରେ ସବୁଠାରୁ ଅଧିକ ନିର୍ଯାତିତ ହୋଇଛନ୍ତି। ନିର୍ବାଚନ ଏବେ ଅନୁଷ୍ଠିତ ହେଉଛି। ଫଳାଫଳ ଆସିବା ପରେ ସେମାନେ ପରସ୍ପରର ଚୁଟି ଟାଣିବା ଆରମ୍ଭ କରିବେ।”
