ବ୍ରହ୍ମପୁର: ପୁଲିସ ହାତରେ ଉମା ଓ କୁରୁପତି। ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଲା ବଡ଼ ସଫଳତା। ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ବିହାରୀ ସାର୍ପସୁଟର୍ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ ଉମା ନିଜ ଗାଁ କୁକୁଡ଼ାଖଣ୍ଡି ବ୍ଲକ୍ ବନ୍ଥପଲ୍ଲୀରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଡକାଇଥିଲା। ବେଙ୍ଗାଲୁରୁରୁ ଚିଣ୍ଟୁ ବସ୍ ଯୋଗେ ଆସି ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ ଓହ୍ଲାଇଥିଲା ବେଳେ କୁରୁପତି ବନ୍ଥପଲ୍ଲୀରୁ ଆସି ପହଞ୍ଚିଥିଲା। ଯୋଗୀ ଓ ଉମା ସେମାନଙ୍କୁ ପୀତବାସଙ୍କ ଘର ପାଖରେ ମେସ୍ କରି ରହିବା ପାଇଁ ଉଦ୍ଦିଷ୍ଟ ଭଡ଼ାଘରେ ରଖାଇଥିଲେ।ଅକ୍ଟୋବର ୬ ତାରିଖ ରାତି ୧୦ଟା ବେଳେ ଚିଣ୍ଟୁ ଓ କୁରୁପତି ଏକ ବାଇକ୍ରେ ପୀତବାସଙ୍କ ଘର ପାଖ ବୈକୁଣ୍ଠନଗର ପ୍ରଥମ ଗଳିରେ ଅପେକ୍ଷା କରିଥିଲେ। ପୀତବାସ ପହଞ୍ଚିବା କ୍ଷଣି କୁରୁପତି ତାଙ୍କୁ ‘ପୀତବାସ ଆଜ୍ଞା କି.. ନମସ୍କାର’ ବୋଲି କହିଥିଲେ। ପ୍ରତି ଉତ୍ତରରେ ପୀତବାସ ‘କିଏ’ ବୋଲି ପଚାରିବାରୁ କୁରୁପତି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ପୀତବାସ ତଳେ ପଡ଼ିଯିବା ପରେ ଉଭୟ ବାଇକ୍ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନେ ମାଉସୀମା’ ମନ୍ଦିର, ରେଡିଓ ଷ୍ଟେସନ୍, ଲୋଚାପଡ଼ା, ଗୁରୁଣ୍ଡି ଦେଇ ଯାଇ ଶୀତଳାପଲୀରେ ପହଞ୍ଚିବା ପରେ କପଡ଼ା, ହେଲମେଟ୍ ଓ ଜୋତା ବଦଳାଇବା ସହ ବ୍ୟବହୃତ ବନ୍ଧୁକକୁ ପୋତିଦେଲେ। ଗାଡ଼ି ନେଇ ପୁରୁଷୋତ୍ତମପୁର ଆଡ଼େ ଯାଇ ରାମେଶ୍ବର ପାଖରେ ଏକ ଚା’ ଦୋକାନରେ ଗାଡ଼ି ରଖି ବସ୍ରେ ପୁରୀ ପଳାଇଲେ। ପୁରୀରୁ ଚିଣ୍ଟୁ ଟ୍ରେନ୍ରେ ବେଙ୍ଗାଲୁରୁ ଓ କୁରୁପତି କୋରାପୁଟ ଜିଲ୍ଲାର ଜୟପୁରକୁ ଯାଇଥିଲା। ଜୟପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନିଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍ରେ ଆଶ୍ରୟ ଦେଇଥିଲେ; ଯାହା ବିକ୍ରମ ମଧ୍ୟ ଜାଣିଥିଲେ। ସୁନିଲଙ୍କ ଫାର୍ମ ହାଉସ୍ରେ କୁରୁପତି ୪ ଦିନ ରହିବା ପରେ ବାହାର ରାଜ୍ୟକୁ ପଳାଇଥିବା ପୁଲିସ କହିଛି।
