ନୂଆଦିଲ୍ଲୀ: ଓଲଟିଲା ବସ୍। ‘ନର୍ମଦା ପରିକ୍ରମା’ ପାଇଁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସହ ୫୫ ଜଣ ଆହତ ହୋଇଥିବା ପୁଲିସ କହିଛି। ଶୁକ୍ରବାର ସକାଳେ ମଧ୍ୟପ୍ରଦେଶର ବରୱାନି ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଧିକାରୀ କହିଛନ୍ତି ଯେ, ଇନ୍ଦୋର ଏବଂ ଧାର ଜିଲ୍ଲାରୁ ୫୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ସକାଳ ପ୍ରାୟ ୮ଟା ସମୟରେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ବାଇଗୁର ଗାଁ ନିକଟରେ ଓଲଟି ପଡ଼ିଥିଲା।
ବରୱାନି ପୁଲିସ ଅଧୀକ୍ଷକ ଜଗଦୀଶ ଡାୱର କହିଛନ୍ତି ଯେ, “ଗାଡ଼ିଟି ପ୍ରଥମେ ଓଲଟି ପଡ଼ିବା ସହ ପରେ ଖସିବାକୁ ଲାଗିଥିଲା। ଏହା ପରେ ଏକ ଡିଭାଇଡରରେ ପିଟି ହେବା ପରେ ଅଟକିଯାଇଥିଲା। ଘଟଣାସ୍ଥଳ ନିକଟରେ ଏକ ଗଭୀର ଖାତ ଥିଲା। ଯଦି ବସ୍ଟି ଖାତକୁ ପଡ଼ିଥାନ୍ତା, ତେବେ ଦୁର୍ଘଟଣା ଆହୁରି ଭୟଙ୍କର ହୋଇଥାନ୍ତା ଏବଂ ଆହୁରି ଅଧିକ ଲୋକଙ୍କ ଜୀବନହାନୀ ଘଟିଥାନ୍ତା।”
