ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଲେଭେଲ୍ କ୍ରସିଂ ଉପରେ ୯୨ଟି ରେଳ ଓଭରବ୍ରିଜ୍ ନିର୍ମାଣ ହେବ। ତେବେ ଏଥିପାଇଁ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବେନି। ଏହି ରେଳ ଓଭରବ୍ରିଜ୍ଗୁଡ଼ିକର ନିର୍ମାଣ ବାବଦରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ବହନ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପୂର୍ବରୁ ରାଜ୍ୟରେ ହେଉଥିବା ରେଳ ଓଭରବ୍ରିଜ୍ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦:୫୦ ଅନୁପାତରେ ଅର୍ଥ ଖର୍ଚ୍ଚ କରୁଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ କରାଯାଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ର ରେଳ ମନ୍ତ୍ରାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ୯୨ଟି ରେଳ ଓଭରବ୍ରିଜ୍ର ସମ୍ପୂର୍ଣ୍ଣ ନିର୍ମାଣ ଖର୍ଚ୍ଚ ବହନ କରିବ ବୋଲି ଜଣାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡ଼ିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି। ରେଳପଥ, ସଡ଼କ ପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ସହିତ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ଶ୍ରଦ୍ଧା ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବ।
