ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ବୁଧବାର (ଅକ୍ଟୋବର ୨୯, ୨୦୨୫) ଦିନ ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିବେ, ଯାହାକି ଅପରେସନ ସିନ୍ଦୁର (Operation Sindoor) ସମୟରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ବାୟୁସେନା ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଏହି ଉଡ଼ାଣ ପାଇଁ ଅମ୍ବାଲା ଏୟାରବେସରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଅମ୍ବାଲା ଗସ୍ତ ଏବଂ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ ବିଷୟରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।ରାଫେଲ ଯୁଦ୍ଧ ବିମାନର ଗୋଲ୍ଡେନ ଆରୋ (୧୭ତମ) ସ୍କ୍ୱାଡ୍ରନ୍ ଅମ୍ବାଲାରେ ଅବସ୍ଥିତ। ଏହି ସ୍କ୍ୱାଡ୍ରନ୍ ର ଯୁଦ୍ଧ ବିମାନଗୁଡ଼ିକ ମେ ୬-୭ ରାତିରେ ମୁରିଦକେ ଏବଂ ବାହାବଲପୁରରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଧ୍ୱଂସ କରିଦେଇଥିଲେ। ଉଭୟ ଶିବିରରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ପରିବାର ସଦସ୍ୟ ଥିଲେ।
