ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର କାରବାର ଚଳାଉଥିବା ଡନ୍ ଗ୍ୟାଙ୍ଗକୁ ପୁଲିସ ଧରିଛି। ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଡନ୍ ଗ୍ୟାଙ୍ଗର ମୁଖ୍ୟ ଓହଳର ସୌମ୍ୟଜିତ ପରିଜା ଓରଫ୍ ଭିକି(୩୫) ଓ ତା ଭାଇ ସ୍ବପ୍ନଜିତ ପରିଜା ଓରଫ୍ ଜାକି(୨୫), ତୁଷାର ରଞ୍ଜନ ଦାସ(୩୫), ଲାଲାସାହିର ଅଭିଜାତ୍ୟା ସାହୁ ଓରଫ୍ ଗୁଗୁଲ(୩୦), ନାଉଗାଁ କୋକିଡିହର ରଞ୍ଜିତ ଦାସ ଓରଫ୍ ସିପୁ(୨୯), ଲାଲାସାହିର ରଞ୍ଜନ କୁମାର ଗୋଚ୍ଛାୟତ(୨୫)କୁ ଜଗତସିଂହପୁର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୭୦ ଗ୍ରାମ ବ୍ରାଉନସୁଗାର, ବେପାର ପାଇଁ ବ୍ୟବହୃତ ହୋଣ୍ଡା ଆକ୍ଟିଭା(ଓଡି୨୧-ଆର-୯୫୦୪) ଗାଡ଼ି, ତିନୋଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଶାସକ ଦଳର ନେତାଙ୍କ ପୁଅ ମଧ୍ୟ ରହିଛି।ଏସପି ଅଙ୍କିତ କୁମାର ବର୍ମାଙ୍କ ସୂଚନା ଅନୁସାରେ, ଜଗତସିଂହପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ବିଭିନ୍ନ ବର୍ଗର ବ୍ୟକ୍ତି, ବିଶେଷ କରି ନିଶା ଖାଇ ଦିଗଭ୍ରଷ୍ଟ ହୋଇ ଯାଇଥିବା କଲେଜ ଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଥିଲେ। ଏହାପରେ ଅପରେସନ୍ ‘ହ୍ବାଇଟ୍ ସ୍ୟାଡୋ’ କରାଯାଇଥିଲା। ସବୁ ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଜଗତସିଂହପୁର ଥାନା ଅଞ୍ଚଳରୁ ମଧ୍ୟ ବ୍ରାଉନସୁଗାର ଜବତ କରାଯିବା ସହ ଚଢ଼ଉ କରାଯାଇଥିଲା। ଗତକାଲି ରାତିରେ ମଙ୍ଗଳପୁର ବାଇପାସ୍ ନିକଟରେ ବେପାରୀମାନେ ଏକାଠି ହୋଇଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଖସି ପଳାଇଥିଲା।
