ମୈଦଲପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ଚାଷୀ ଚିନ୍ତାରେ ଅଛନ୍ତି । ଧାନ କଟା କେମିତି ହେବ ବର୍ତ୍ତମାନ ଆଶଙ୍କାରେ ରହିଛନ୍ତି ଅଞ୍ଚଳର ଚାଷୀ । ଭାରତୀୟ ପାଣିପାଗ ବିଭାଗର ସୂଚନା କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଥିବାରୁ ସମ୍ଭାବ୍ୟ ସାମୁଦ୍ରିକ ଝଡ ବାତ୍ୟା “ମୋନ୍ଥା”କୁ ନେଇ ମୈଦଲପୁର ଅଞ୍ଚଳର ଚାଷୀ ଚିନ୍ତିତ ଥିବା ଜଣାଯାଇଛି । ଚଳିତ ବର୍ଷରେ ଭଲ ବର୍ଷା ହେତୁ ଧାନ ଫସଲ ଭଲ ହୋଇଛି। କିନ୍ତୁ ଏହି ବାତ୍ୟା ଭୟରେ ଶସ୍ୟ ଅମଳର କ୍ଷତି ହେବାର ଆଶଙ୍କା ନେଇ ଚାଷୀ ଚିନ୍ତିତ ଅଛନ୍ତି ।
ଚାଷୀମାନେ ଅନେକ ସମସ୍ୟା ମଧ୍ୟରେ ଫସଲ କରି ଅଧିକ ଅମଳ କରିବା ଆଶାରେ ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଖବର ତାଙ୍କ ପାଇଁ ଆଶଙ୍କା ପାଲଟିଛି। ପୂର୍ବରୁ କେବଳ ଫାଇଲିନ୍ ନୁହଁ ଦାନା, ହୁଡୁହୁଡୁ ଆଦି ବାତ୍ୟାରେ ହୋଇଥିବା ଫସଲ ହାନିର ଭୟ ପୁଣି ମନକୁ ଶଙ୍କାଗ୍ରସ୍ତ କରୁଛନ୍ତି।ଅଞ୍ଚଳର ଚାଷୀମାନେ ଧାନ ଓ ମକା ଆଣି ଖଳାରେ ରଖିଛନ୍ତି ଓ ବାତ୍ୟା ଭୟରେ ପଲିଥିନ ଜରି ଉପରେ ଦେଇ ଅନେଇ ବସିଛନ୍ତି । ଅଧିକ ଦିନ ଯଦି ଧାନ ଓ ମକା ଉପରେ ଜୋରି ରହେ ତେବେ ମଧ୍ୟ ଗଜା ହୋଇ ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବାର ଶକ୍ତି ମନୁଷ୍ଯ ପାଖରେ ନଥିବାରୁ ଅଞ୍ଚଳର ଚାଷୀକୁଳ ଭଗବାନଙ୍କ ଭରସାରେ ରହିଥିବା ଜଣାଯାଇଛି।
