ହାଟଡିହି/ବନ୍ତ: ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଡ଼ଅଁର ଗ୍ରାମର ଏବିଡିଓ ଦେବୀ ପ୍ରସାଦ ଜେନାଙ୍କୁ ଗିରଫ କରିଛି ନନ୍ଦିପଦା ପୁଲିସ। ଗତ ଅକ୍ଟୋବର ମାସ ଦୁଇ ତାରିଖ ଦିନ ଦେବୀପ୍ରସାଦ ତାଙ୍କ ପତ୍ନୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଘଟଣାର ୨୩ ଦିନ ପରେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବୀ ପ୍ରସାଦ ବାବାଜୀ ବେଶରେ ଏକ ସାଇକେଲ ଯୋଗେ ଗାଁ ଭିତରକୁ ଯିବାବେଳେ କିଛି ଯୁବକ ଦେଖି ପୁଲିସକୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୁଲିସ ତୁରନ୍ତ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ତାକୁ ଶାଳଣିଆ ମେଡିକାଲକୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଗାଁକୁ ଆସିଥିବା ବେଳେ ଏକ ବ୍ୟାଗରେ ଅନେକ ମରଣାସ୍ତ୍ର ରଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଦେବୀ ପ୍ରସାଦ ଏହି ହତ୍ୟାକାଣ୍ଡ ଭିଆଇଥିବା ବେଳେ ପୁଲିସ କାହିଁକି ତାର ଭାଇବୋହୂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ସେନେଇ ପୁଅ ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି। ତାର ଖୁଡ଼ୀଙ୍କ ପ୍ରରୋଚନାରେ ହତ୍ୟା ହୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।
ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କଲେ ଏବିଡିଓ। ଏଭଳି ଅଭାବନୀୟ ଘଟଣା ଘଟିଥିଲା କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ଡଅଁର ଗ୍ରାମରେ। ମୃତ ମହିଳା ହେଲେ ସୁଦେଷ୍ଣା ଜେନା (୪୩)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) ଦେବୀପ୍ରସାଦ ଜେନା ଫେରାର ହୋଇଯାଇଛନ୍ତି।
