ସୋର: ସୋରରେ ଅପରାଧୀମାନେ ପୁଲିସକୁ ଡରୁନାହାନ୍ତି। ଚୋରଙ୍କ ଭୟରେ ସୋର ବାସୀ ରାତି କାଟୁଥିବା ବେଳେ ପୁଲିସର ନିଷ୍କ୍ରିୟତା ସମସ୍ତଙ୍କୁ ଚିନ୍ତିତ କରିଛି। ସୋର ଥାନା ବେଲପୁର ଗ୍ରାମରୁ ଗତକାଲି ରାତିରେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମାରି ୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି ଗ୍ରାମର ଶେଖ ଆଲ୍ଲା ଉଦ୍ଦିନ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଆମିନା ବିବି ଓ ମା ହାଲିମାନ ବିବି ତିନି ଜଣ ପିଲାଙ୍କୁ ନେଇ ଘରେ ଥିଲେ।ଗତକାଲି ରାତିରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘର ପଛପଟ ଗ୍ରୀଲ କାଟି ଘର ଭିତରକୁ ପଶିବା ସହିତ ଆମିନା ଓ ତାଙ୍କ ଶାଶୁ ହାଲିମାନଙ୍କୁ ବାନ୍ଧି ମାଡ଼ ମାରିଥିଲେ। ପରେ ଘରେ ଥିବା ୫ ଲକ୍ଷର ଗହଣା ଓ ନଗଦ ୬୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଆଜି ସକାଳେ ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋରରେ ଚୋରମାନଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ପୁଲିସର ନିଷ୍କ୍ରିୟତା ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହିତ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ସୋରରେ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।
