ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେରେ ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଛି। ଜଣେ ସେଲିବ୍ରିଟିଙ୍କ କ୍ୟାଫେରେ ଯଦି ଦାଦାବଟି ଆଦାୟକୁ ନେଇ ଏଭଳି ଘଟୁଛି; ତାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ପ୍ରସଂଗ ପାଲଟିଛି। ଭିଡିଓରେ କଏଦ ହୋଇଥିବା ଏବଂ ଅନଲାଇନରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିବା ଏହି ଦୃଶ୍ୟଟି କାହାକୁ ବି ବିଚଳିତ କରିବ। ସୌଭାଗ୍ୟବଶତଃ, ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି।
ଗୁରୁବାର ସକାଳେ ବ୍ରିଟିଶ କଲମ୍ବିଆର ସରେରେ ହୋଇଥିବା ସଦ୍ୟତମ ଆକ୍ରମଣ ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସହଯୋଗୀମାନେ ଥିବା ସୂଚନା ରହିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କାଫେର ମୁଖଭାଗକୁ ଗୁଳିରେ କଣା କରିଦିଆଯାଇଛି।
ଏହି ଆକ୍ରମଣ ପଛରେ ଲରେନ୍ସ ଗ୍ୟାଙ୍ଗର ସଂପୃକ୍ତି ନେଇ ସୋସିଆଲ ମିଡିଆରେ ଗୋଲ୍ଡି ଢିଲୋଂ ଏବଂ କୁଲବୀର (କୁଲଦୀପ) ସିଦ୍ଧୁ ଦାବି କରିଛନ୍ତି। ଆମେ ଜାଣନ୍ତି ଯେ ବିଷ୍ନୋଇ ଗ୍ୟାଙ୍ଗ୍କୁ କାନାଡୀୟ କର୍ତ୍ତୃପକ୍ଷ ସମ୍ପ୍ରତି ଏକ ଆତଙ୍କବାଦୀ ସଂଗଠନ ଭାବରେ ନିର୍ଣ୍ଣୟ କରିଛନ୍ତି।
